OR/Prabhupada 0436 - ସବୁ ଘଟଣାରେ ପ୍ରଫୁଲ୍ଲ ଆଉ କେବଳ କୃଷ୍ଣ ଭାବନାମୃତ ରେ ଆଗ୍ରହୀ
Lecture on BG 2.8-12 -- Los Angeles, November 27, 1968
ଭକ୍ତ: ଶ୍ଳୋକ ୧୧, ଶ୍ରୀ ଭଗବାନ କହିଲେ: "ତୁମେ ପାଣ୍ଡିତ୍ୟ ପୁର୍ଣ କଥା କହୁଛ; କିନ୍ତୁ ଯେଉଁ ବିଷୟରେ ଶୋକ କରିବାର ନୁହେଁ ସେ ବିଷୟରେ ଶୋକ କରୁଛ | ଯେଉଁମାନେ ପଣ୍ଡିତ ସେମାନେ କଦାପି ଜୀବନ୍ତ ବା ମୃତ ପାଇଁ ଶୋକ କରନ୍ତି ନାହିଁ |" (ଭ.ଗୀ. ୨.୧୧)
- ଭାବାର୍ଥ: "ଭଗବାନ ସଙ୍ଗେ ସଙ୍ଗେ ଗୁରୁର ଭୂମିକା ଗ୍ରହଣ କରି ତାଙ୍କ ଛାତ୍ରଙ୍କୁ ପରୋକ୍ଷ ଭାବରେ ଏକ ମୂର୍ଖ ବୋଲି କହି ଭର୍ତ୍ସନା କରିବାକୁ ଆରମ୍ଭ କଲେ | ଭଗବାନ କହିଲେ, ତୁମେ ଏକ ପଣ୍ଡିତ ପରି କଥା କହୁଛ, କିନ୍ତୁ ତୁମେ ଜାଣି ନାହଁ ପ୍ରକୃତରେ ପଣ୍ଡିତ କିଏ | ଯେ ଭଲ ଭାବରେ ଜଣେ, ଏ ଶରୀର କଣ ଓ ଆତ୍ମା କଣ, ସେ ପ୍ରକୃତରେ ପଣ୍ଡିତ ଅଟେ ଏବଂ ସେ କଦାପି ଶରୀରର ଯେ କୌଣସି ଅବସ୍ଥା ପାଇଁ ଦୁଃଖ କରେ ନାହିଁ -ଶରୀରର ଜୀବିତାବସ୍ଥା ବା ମୃତବସ୍ଥା କୌଣସି ଅବସ୍ଥା ପାଇଁ ସେ ଦୁଃଖ କରେ ନାହିଁ | ପରବର୍ତ୍ତୀ ଅଧ୍ୟାୟ ମାନଙ୍କରେ ଏ ବିଷୟରେ ଆଲୋଚନା କରାଯିବ | ସେତେବେଳେ ଜଣା ଯିବ ଯେ ଜ୍ଞାନ କହିଲେ ଜଡ଼, ଚେତନଶୀଳ ଆତ୍ମା ଏବଂ ଉଭୟର ନିୟନ୍ତ୍ରଣକାରୀ ସମ୍ବନ୍ଧରେ ଜାଣିବା | ଅର୍ଜୁନ ଯୁକ୍ତି କରୁଥିଲେ ଯେ, ରାଜନୀତି ଓ ସମାଜନୀତି ଅପେକ୍ଷା ଧର୍ମନିତୀକୁ ଅଧିକ ଗୁରୁତ୍ୱ ଦେବାର କଥା, କିନ୍ତୁ ସେ ଏକଥା ଜାଣି ନଥିଲେ ଯେ, ଜଡ଼ବସ୍ତୁ ଚେତନାଶୀଳ ଆତ୍ମା ଏବଂ ଭଗବାନଙ୍କ ସମ୍ୱନ୍ଧୀୟ ଜ୍ଞାନ ଧର୍ମନୀତି ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ | ତେଣୁ ତାଙ୍କର ଏ ସମ୍ବନ୍ଧରେ ଜ୍ଞାନ ନଥିଲା, ତେଣୁ ସେ ପଣ୍ଡିତ ପରି କଥା କହିବା ଉଚିତ ନଥିଲା | ଯେଣୁ ସେ ପଣ୍ଡିତ ନ ଥିଲେ, ତେଣୁ ଯେଉଁ ବିଷୟରେ ଦୁଃଖ କରିବାର କଥା ନୁହେଁ ସେ ବିଷୟରେ ଦୁଃଖ କରୁଥିଲେ | ଏ ଶରୀର ଜନ୍ମ ହୋଇଛି ଏବଂ ଦିନେ ନା ଦିନେ ମରିବ - ଆଜି ମରିପାରେ କିମ୍ବା କାଲି ମରିପାରେ, ତେଣୁ ଆତ୍ମା ପରି ଏ ଶରୀର ଗୁରୁତ୍ବପୂର୍ଣ ନୁହେଁ | ଯେ ଏ କଥା ଜାଣିଛି, ସେ ହିଁ ପ୍ରକୃତରେ ପଣ୍ଡିତ ବା ଜ୍ଞାନୀ ଏବଂ ସେ ଏ ଶାରୀରିକ ଅବସ୍ଥା ପାଇଁ କଦାପି ଦୁଃଖ କରେ ନାହିଁ |"
ପ୍ରଭୁପାଦ: ସେ କହୁଛନ୍ତି, କୃଷ୍ଣ କହୁଛନ୍ତି, ଯେ "ଏହି ଶରୀର, ମୃତ ବା ଜୀବନ୍ତ, ବିଳାପ କରିବାର କୌଣସି କରଣ ନାହିଁ" | ମୃତ ଶରୀର, ମନେକର ଯେତେବେଳେ ଶରୀର ମୃତ, ଏହାର କୌଣସି ମୂଲ୍ୟ ନାହିଁ | ବିଳାପ କରି ଲାଭ କଣ? ତୁମେ ଅନେକ ହଜାର ବର୍ଷ ପାଇଁ ବିଳାପ କରିପାର, ଏହା ଜୀବନ୍ତ ହେବ ନାହିଁ | ତେଣୁ ମୃତ ଶରୀର ପାଇଁ ବିଳାପ କରିବାର କୌଣସି କାରଣ ନାହିଁ | ଆଉ ଯେଉଁ ପର୍ଯ୍ୟନ୍ତ ଆତ୍ମାର ସମ୍ବନ୍ଧ, ତାହା ଶାଶ୍ୱତ | ଏପରିକି ଏହା ମୃତ ପ୍ରତୀତ ହୁଏ, କିମ୍ବା ଏହି ଦେହର ମୃତ୍ୟୁ ସହ, ଏହା ମରେ ନାହିଁ | ତେଣୁ, ଜଣେ କାହିଁକି ଅଭିଭୂତ ହୋଇ "ମୋ ବପା ଚାଲିଗଲେ, ମୋର ଏଇ ବା ସେଇ ସମ୍ଭନ୍ଧୀ ମରିଗଲେ" କହି କାନ୍ଦିବ | ସେ ମୃତକ ନୁହନ୍ତି | ଏହି ଜ୍ଞାନ ଜଣେ ରଖିବା ଦରକାର | ତାହାହେଲେ ସେ ସବୁ ସମୟରେ ପ୍ରଫୁଲ୍ଲ ରହିପାରିବ, ଆଉ ସେ କେବଳ କୃଷ୍ଣ ଭାବନାମୃତରେ ଆଗ୍ରହୀ ରହିବ | ଶରୀରର ପାଇଁ ବିଳାପ କରିବାର କୌଣସି କାରଣ ନାହିଁ , ଜୀବନ୍ତ କିମ୍ୱା ମୃତ | ତାହା ଏହି ଅଧ୍ୟାୟରେ କୃଷ୍ଣ ନିର୍ଦେଶ ଦେଇଛନ୍ତି | ଆଗକୁ ପଢ |
ଭକ୍ତ: "ଏପରି ସମୟ କେବେ ନଥିଲା, ଯେତେବେଳେ ମୁଁ ନଥିଲି କିମ୍ବା ତୁମେ ନଥିଲ କିମ୍ବା ଏ ରାଜାମାନେ ନଥିଲେ | ପୁନଶ୍ଚ ଭବିଷ୍ୟତରେ ଏପରି କେବେ ହେବନାହିଁ; ଯେତେବେଳେ ଆମ୍ଭେମାନେ କେହି ନଥିବା |" (ଭ.ଗୀ. ୨.୧୨)
- ଭାବାର୍ଥ: "ବେଦରେ, କଠ ଉପନିଷଦ ତଥା ଶ୍ଵେତାଶ୍ୱତର ଉପନିଷଦରେ କୁହାଯାଇଛି ଯେ..."
ପ୍ରଭୁପାଦ: ଶ୍ଵେତାଶ୍ୱତର | ଅନେକ ଉପନିଷଦ ଅଛି, ଏ ସବୁକୁ ବେଦ କୁହାଯାଏ | ଉପନିଷଦ ସବୁ ବେଦର ଶୀର୍ଷକ ଅଟନ୍ତି | ଯେମିତି ଗୋଟିଏ ଅଧ୍ୟାୟରେ ଗୋଟିଏ ଶୀର୍ଷକ ଥାଏ, ସେହିପରି ଏହି ଉପନିଷଦ ସବୁ ବେଦର ଶୀର୍ଷକ ଅଟନ୍ତି | ମୁଖ୍ୟତଃ ୧୦୮ଟି ଉପନିଷଦ ଅଛି | ସେଥିମଧ୍ୟରୁ ନଅଟି ବହୁତ ମହତ୍ଵପୁର୍ଣ | ସେଇ ନଅଟି ଉପନିଷଦ ମଧ୍ୟରୁ ଶ୍ଵେତାଶ୍ୱତର ଉପନିଷଦ, ତୈତ୍ତିରୟ ଉପନିଷଦ, ଐତରେୟ ଉପନିଷଦ, ଇଶୋ ଉପନିଷଦ, ମୁଣ୍ଡକ ଉପନିଷଦ, ମାଣ୍ଡୁକ୍ୟ ଉପନିଷଦ, କଠ ଉପନିଷଦ ଏହି ଉପନିଷଦ ଗୁଡିକ ବହୁତ ମହତ୍ଵପୁର୍ଣ | ଆଉ ଯେତେବେଳେ କୌଣସି ବିଷୟ ଉପରେ ତର୍କ ହୁଏ, ଏଇ ଉପନିଷଦରୁ ଉଲ୍ଲେଖ କରି କହିବାକୁ ହୋଇ ଥାଏ |