OR/Prabhupada 0997 - କୃଷ୍ଣଙ୍କ ବ୍ୟବସାୟ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ । ତେଣୁ ଆମେ ସମସ୍ତଙ୍କୁ ସ୍ୱାଗତ କରୁଛୁ



730406 - Lecture SB 02.01.01-2 - New York

ଯାହାହେଉ, ଜପ କରିବା ଅତ୍ୟନ୍ତ ଶୁଭ ଅଟେ । ଚୈତନ୍ୟ ମହାପ୍ରଭୁ ତାଙ୍କର ଅନୁଗ୍ରହ ଦେଇଛନ୍ତି, ଚେତୋ-ଦର୍ପଣ-ମାର୍ଜନଂ ଭବ-ମହା-ଦାବାଗ୍ନି-ନିର୍ବାପଣଂ (ଚ.ଚ. ଅନ୍ତ୍ୟ ୨୦.୧୨) । ଆମେ ଏହି ଭୌତିକ ଦୁନିଆରେ ଯନ୍ତ୍ରଣା ଭୋଗୁଛୁ କାରଣ ଆମେ ଆମର ବୁଝାମଣା କିମ୍ବା ହୃଦୟରୁ ପରିଷ୍କାର ହୋଇ ନାହୁଁ । ହୃଦୟ ସଫା ହୋଇ ନାହିଁ । ତେଣୁ ଏହି ଜପ ହୃଦୟକୁ ସଫା କରିବାରେ ସାହାଯ୍ୟ କରିବ ।

ଶୃଣୁବତାଂ ସ୍ଵ-କଥାଃ କୃଷ୍ଣଃ
ପୁଣ୍ୟ-ଶ୍ରବଣ କୀର୍ତ୍ତନଃ
ହୃଦି ଅନ୍ତଃ ସ୍ଥୋ ଅଭଦ୍ରାଣି
ବିଧୁନୋତି ସୁହୃତ ସତାଂ
(ଭା. ୧.୨.୧୭) ।


ଜପ କରିବା ଏତେ ସୁନ୍ଦର ଯେ ତୁମେ ଜପ କରିବା ମାତ୍ରେ, କିମ୍ବା କୃଷ୍ଣଙ୍କ ବିଷୟରେ ଶୁଣିବା ମାତ୍ରେ - ଜପ ମଧ୍ୟ କୃଷ୍ଣଙ୍କ ବିଷୟରେ ଶୁଣିବା, ତେଣୁ ସଙ୍ଗେ ସଙ୍ଗେ ପରିଷ୍କାର ପ୍ରକ୍ରିୟା ଆରମ୍ଭ ହୁଏ, ଚେତୋ-ଦର୍ପଣ-ମାର୍ଜନଂ (ଚ.ଚ. ଅନ୍ତ୍ୟ ୨୦.୧୨) । ଏବଂ ଆମର ହୃଦୟ ସଫା ହେବା ମାତ୍ରେ, ଭବ-ମହା-ଦାବାଗ୍ନି-ନିର୍ବାପଣଂ, ତା’ପରେ ଆମେ ଏହି ଭୌତିକ ଅସ୍ତିତ୍ୱର ଜ୍ୱଳନ୍ତ ଅଗ୍ନିରୁ ମୁକ୍ତ ହୋଇଯିବା । ତେଣୁ ଜପ କରିବା ଅତ୍ୟନ୍ତ ଶୁଭ ଅଟେ, ତେଣୁ ପରୀକ୍ଷିତ ମହାରାଜ ଏଠାରେ, ଶୁକଦେବ ଗୋସ୍ୱାମୀ କୁହନ୍ତି, ବରୀୟାନ ଏଶ ତେ ପ୍ରଶ୍ନଃ କୃତୋ ଲୋକ-ହିତଂ ନୃପ (ଭା ୨.୧.୧) ଅନ୍ୟ ଏକ ସ୍ଥାନରେ, ଶୁକଦେବ ଗୋସ୍ଵ, ସୂତ, ସୂତ ଗୋସ୍ୱାମୀ କୁହନ୍ତି, ୟତ କୃତଃ କୃଷ୍ଣ-ସମ୍ପ୍ରଶ୍ନ ୟୟାତ୍ମା ସୁପ୍ରସିଦତି । ଯେତେବେଳେ ନୈମିଷାରଣ୍ୟର ମହାନ ସାଧୁ ବ୍ୟକ୍ତିମାନେ କୃଷ୍ଣଙ୍କ ବିଷୟରେ ପଚାରିଲେ, ସେ ସେପରି ଉତ୍ତର ଦେଲେ। ୟତ କୃତଃ କୃଷ୍ଣ-ସମ୍ପ୍ରଶ୍ନ । "କାରଣ ଆପଣ କୃଷ୍ଣଙ୍କ ବିଷୟରେ ପଚାରିଛନ୍ତି, ଏହା ଆପଣଙ୍କ ହୃଦୟକୁ ସଫା କରିବ, ୟୟାତ୍ମା ସୁପ୍ରସିଦତି । ତୁମେ ତୁମର ହୃଦୟରେ ଏକ ଅତ୍ୟଧିକ ଦିବ୍ୟ ସୁଖ, ଆରାମ ଅନୁଭବ କରିବ । "


ତ, ବରୀୟାନ ଏଶ ତେ ପ୍ରଶ୍ନଃ କୃତୋ ଲୋକ-ହିତଂ ନୃପ (ଭା ୨.୧.୧) । ଲୋକ-ହିତଂ । ବାସ୍ତବରେ ଆମର, ଏହି ଆନ୍ଦୋଳନ ହେଉଛି ମାନବ ସମାଜ ପାଇଁ ମୁଖ୍ୟ କଲ୍ୟାଣକାରୀ କାର୍ଯ୍ୟ, ଲୋକ-ହିତଂ । ଏହା ଏକ ବ୍ୟବସାୟ ନୁହେଁ । ବ୍ୟବସାୟର ଅର୍ଥ ହେଉଛି ମୋର ହିତଂ, କେବଳ ମୋର ଲାଭ । ଏହା ନୁହେଁ। ଏହା କୃଷ୍ଣଙ୍କର ବ୍ୟବସାୟ । କୃଷ୍ଣଙ୍କର ବ୍ୟବସାୟ ଅର୍ଥ କୃଷ୍ଣ ସମସ୍ତଙ୍କ ପାଇଁ; ତେଣୁ କୃଷ୍ଣଙ୍କର ବ୍ୟବସାୟ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ । ତେଣୁ ଆମେ ସମସ୍ତଙ୍କୁ ସ୍ୱାଗତ କରୁଛୁ । କୌଣସି ପାର୍ଥକ୍ୟ ନାହିଁ । "ଏଠାକୁ ଆସ ଏବଂ ଜପ କର," ଲୋକା-ହିତଂ । ଏବଂ ଏକ ସାଧୁ, ଜଣେ ସାଧୁ ବ୍ୟକ୍ତି ସର୍ବଦା ଲୋକା-ହିତଂ ବିଷୟରେ ଚିନ୍ତା କରିବା ଉଚିତ୍ । ତାହା ହେଉଛି ସାଧୁ ଏବଂ ସାଧାରଣ ମଣିଷ ମଧ୍ୟରେ ପାର୍ଥକ୍ୟ । ସାଧାରଣ ମଣିଷ, ସେ କେବଳ ନିଜ ବିଷୟରେ ଭାବନ୍ତି, କିମ୍ବା "ନିଜ ସମ୍ବନ୍ଧୀ", ପରିବାର ପାଇଁ, ସମ୍ପ୍ରଦାୟ ପାଇଁ, ସମାଜ ପାଇଁ, ଦେଶ ପାଇଁ । ଏଗୁଡ଼ିକ ହେଉଛି ବିସ୍ତାରିତ ସ୍ୱାର୍ଥପରତା । ବିସ୍ତାରିତ । ଯେତେବେଳେ ମୁଁ ଏକୁଟିଆ ଥାଏ, ମୁଁ କେବଳ ମୋର ଲାଭ ବିଷୟରେ ଚିନ୍ତା କରେ । ଯେତେବେଳେ ମୁଁ ଟିକିଏ ବଡ ହୋଇଯାଏ, ମୁଁ ମୋର ଭାଇ ଓ ଭଉଣୀମାନଙ୍କ ବିଷୟରେ ଚିନ୍ତା କରେ, ଏବଂ ଯେତେବେଳେ ମୁଁ ଟିକିଏ ଉନ୍ନତ ହୁଏ, ମୁଁ ମୋ ପରିବାର ବିଷୟରେ ଚିନ୍ତା କରେ । ଟିକିଏ ଉନ୍ନତ, ମୁଁ ମୋର ସମ୍ପ୍ରଦାୟ ବିଷୟରେ ଭାବେ । ଟିକିଏ ଉନ୍ନତ, ମୁଁ ମୋ ରାଜ୍ୟ, ମୋ ଦେଶ ବିଷୟରେ ଭାବେ । କିମ୍ବା ମୁଁ ଆନ୍ତର୍ଜାତୀୟ ସ୍ତରରେ ସମଗ୍ର ମାନବ ସମାଜ ବିଷୟରେ ଚିନ୍ତା କରିପାରିବି । କିନ୍ତୁ କୃଷ୍ଣ ଏତେ ବଡ ଯେ କୃଷ୍ଣ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରନ୍ତି । କେବଳ ମାନବ ସମାଜ ନୁହେଁ, ପଶୁ ସମାଜ, ପକ୍ଷୀ ସମାଜ, ବଣ୍ୟପଶୁ ସମାଜ, ବୃକ୍ଷ ସମାଜ - ସବୁକିଛି । କୃଷ୍ଣ କୁହନ୍ତି, ଅହଂ ବୀଜପ୍ରଦଃ ପିତା (ଭ.ଗୀ. ୧୪.୪): "ମୁଁ ଏହି ସମସ୍ତ ଆକାରର ବୀଜ ପ୍ରଦାନକାରୀ ପିତା ।"