OR/Prabhupada 0059 - ତୁମର ପ୍ରକୃତ କର୍ତ୍ତବ୍ୟ ଭୁଲ ନାହିଁ
Lecture on BG 2.14 -- Mexico, February 14, 1975
ତେବେ ପ୍ରଶ୍ନ ଏହିକି ଯେ "ଯଦି ମୁଁ ଶାଶ୍ଵତ, ତେବେ ଜୀବନ ଏତେ ଦୁଃଖମୟ କାହିଁକି? ଏବଂ କାହିଁକି ମୋର ମୃତ୍ୟୁ ଅନିବାର୍ଯ୍ୟ?" ତେଣୁ ବାସ୍ତବରେ ଏହା ଏକ ବୁଦ୍ଧିମାନ ପ୍ରଶ୍ନ, ଯେ "ଯଦି ମୁଁ ଶାଶ୍ଵତ, ତେବେ କାହିଁକି ମୁଁ ଏହି ଭୌତିକ ଶରୀରରେ ରହିବି ଯାହା ମୃତ୍ୟୁ, ଜନ୍ମ, ଜରା ଓ ବ୍ୟାଧି ଅଧିନରେ ଅଛି?" ସେଥିପାଇଁ କୃଷ୍ଣ ଉପଦେଶ ଦେଇଛନ୍ତି ଯେ ଏହି ଦୁଃଖମୟ ଜୀବନର କାରଣ ହେଉଛି ଏହି ଭୌତିକ ଶରୀର । ଯେଉଁମାନେ କର୍ମୀ, ଅର୍ଥାତ୍ ଯେଉଁମାନେ ଇନ୍ଦ୍ରିୟ ସନ୍ତୁଷ୍ଟି କରିବାରେ ଲୀନ... ସେମାନଙ୍କୁ କର୍ମୀ କୁହାଯାଏ । କର୍ମୀମାନେ ଭବିଷ୍ୟତ କଥା ଚିନ୍ତା କରନ୍ତି ନାହିଁ; ସେମାନେ କେବଳ ଜୀବନର ତତ୍କାଳ ସୁବିଧା ଚାହାଁନ୍ତି । ଯେପରିକି ଏକ ଶିଶୁ ପିତା ମାତାଙ୍କୁ ଖାତିର ନକରି, ସେ ଦିନ ସାରା ଖେଳେ ଏବଂ ଭବିଷ୍ୟତ ଜୀବନ ପାଇଁ ଖାତିର କରେ ନାହିଁ, କୌଣସି ଶିକ୍ଷା ନିଏ ନାହିଁ । କିନ୍ତୁ ମନୁଷ୍ୟ ରୁପି ଜୀବନରେ, ଯଦି ଆମେ ବାସ୍ତବରେ ବୁଦ୍ଧିମାନ, ଆମେ ଆମ ତରଫରୁ ପୁରା ଚେଷ୍ଟା କରିବା ଯେ କିପରି ଏପରି ଜୀବନ ମିଳିବ କିମ୍ଵା ଏପରି ଶରୀର ମିଳିବ ଯେଉଁଠାରେ ମୃତ୍ୟୁ, ଜନ୍ମ, ଜରା ଓ ବ୍ୟାଧି ଆଉ ନ ଥିବ ।
ତେଣୁ ଏହି କୃଷ୍ଣ ଚେତନା ଆନ୍ଦୋଳନ ଅର୍ଥାତ୍ ସେହି ଉଦ୍ଦେଶ୍ୟ ପାଇଁ ଲୋକମାନଙ୍କୁ ଶିକ୍ଷିତ କରିବା । ବର୍ତ୍ତମାନ, ଜଣେ ଏହା କହିପାରେ ଯେ "ଯଦି ମୁଁ କେବଳ କୃଷ୍ଣ ଚେତନା ପ୍ରତି ସମର୍ପିତ ହୁଏ, ତେବେ ମୋର ଭୌତିକ ଆବଶ୍ୟକତା କିପରି ପରିପୂର୍ଣ୍ଣ ହେବ?" ତେଣୁ ଏହାର ଉତ୍ତର ଭଗବଦ୍ ଗୀତାରେ ଅଛି, ଯେ କେହି ବି ଯିଏ କେବଳ କୃଷ୍ଣ ଚେତନାରେ ନିଯୁକ୍ତ, ତାର ଜୀବନର ଆବଶ୍ୟକତାଗୁଡ଼ିକୁ କୃଷ୍ଣ ଦେଖିବେ । କୃଷ୍ଣ ସମସ୍ତଙ୍କର ପୋଷଣ ପାଇଁ ଧ୍ୟାନ ଦିଅନ୍ତି । ଏକୋ ୟୋ ବହୁନାଂ ବିଦଧାନ୍ତି କାମନାଃ: "ସେହି ଏକ ପରମ ପୁରୁଷ ସମସ୍ତ ଜୀବମାନଙ୍କର ଆବଶ୍ୟକତାର ପୋଷଣ କରୁଛନ୍ତି ।" ତେଣୁ ଜଣେ ଭକ୍ତ ପାଇଁ ଯିଏ ପରମଧାମକୁ ଫେରିବା ପାଇଁ ଚେଷ୍ଟା କରୁଛି, ଭଗବଦ୍ ଧାମକୁ, ତାକୁ କୌଣସି ଅଭାବ ହେବ ନାହିଁ । ତୁମେ ନିଶ୍ଚିନ୍ତ ରୁହ । କୃଷ୍ଣ ଭଗବଦ୍ ଗୀତାରେ କୁହନ୍ତି, ତେଷାଂ ସତତ ଯୁକ୍ତାନାଂ ଯୋଗକ୍ଷେମଂ ବହାମ୍ୟହମ୍ (BG 9.22) " ଜଣେ ଭକ୍ତ ଯିଏ ସର୍ବଦା ମୋ ସେବାରେ ଲୀନ, ମୁଁ ଦେଖିବି, କିପରି ତାର ଜୀବନର ଆବଶ୍ୟକତାଗୁଡ଼ିକ ପୁରା ହେବ ।" ଏକ ବ୍ୟବହାରିକ ଉଦାହରଣ ହେଉଛି ଯେ ଏହି କୃଷ୍ଣ ଚେତନା ଆନ୍ଦୋଳନରେ ଶହେଟି କେନ୍ଦ୍ର ଅଛି, ଏବଂ ପ୍ରତ୍ୟେକ ମନ୍ଦିରରେ, ଅତିକମରେ ପଚିଶରୁ ଦୁଇଶହ ପଚାଶ ପର୍ଯ୍ୟନ୍ତ ଭକ୍ତ ରୁହନ୍ତି । ତେଣୁ ଆମ ପାଖରେ କୌଣସି ସ୍ଥିର ଆୟ ମାଧ୍ୟମ ନାହିଁ, ଏବଂ ଆମେ ପ୍ରତି ମାସରେ ସମସ୍ତ ଶାଖାରେ ଅଶୀ ହଜାର ଡଲର୍ ଖର୍ଚ୍ଚ କରୁଛୁ । କିନ୍ତୁ କୃଷ୍ଣଙ୍କ କୃପାରୁ ଆମର କୌଣସି ଅଭାବ ନାହିଁ; ସବୁକିଛି ପରିପୂର୍ଣ୍ଣ ହେଇଯାଉଛି । ଲୋକମାନେ ବେଳେ ବେଳେ ଅଶ୍ଚର୍ଯ୍ୟ ହୁଅନ୍ତି ଯେ "ଏହି ଲୋକମାନେ କାମ କରୁନାହାଁନ୍ତି, କୌଣସି ବୃତ୍ତି ନାହିଁ, କେବଳ ହରେ କୃଷ୍ଣ ଜପ କରନ୍ତି । ସେମାନେ କିପରି ଜୀବିକା ନିର୍ବାହ କରୁଛନ୍ତି? ତେଣୁ ତାହା ପ୍ରଶ୍ନ ନୁହେଁ । ଯଦି ବିଲେଇ ଏବଂ କୁକୁର ଭଗବାନଙ୍କର କୃପାରେ ବଞ୍ଚିପାରୁଛନ୍ତି, ତେବେ ଭକ୍ତ ଭଗବାନଙ୍କ କୃପାରେ ଅତି ଆରାମରେ ଜୀବିକା ନିର୍ବାହ କରିପାରିବ । ଏପରି କୌଣସି ପ୍ରଶ୍ନ ନାହିଁ, କିନ୍ତୁ ଯଦି କେହି ଭାବେ ଯେ "ମୁଁ କୃଷ୍ଣ ଚେତନା ଗ୍ରହଣ କରିଛି, କିନ୍ତୁ ମୁଁ ଅନେକ ଜିନିଷ ପାଇଁ ଦୁଃଖ ଭୋଗ କରୁଛି," ସେମାନଙ୍କ ପାଇଁ କିମ୍ଵା ଆମ ସମସ୍ତଙ୍କ ପାଇଁ ଉପଦେଶ ହେଉଛି ମାତ୍ରାସ୍ପର୍ଶାସ୍ତୁ କୋନ୍ତେୟ ଶୀତୋଷ୍ଣ ସୁଖଦୁଃଖଦାଃ (BG 2.14) "ଏହି ଦୁଃଖ ଏବଂ ସୁଖ ଶୀତଋତୁ ଏବଂ ଗ୍ରୀଷ୍ମଋତୁ ପରି ।" ଶୀତଋତୁରେ ପାଣି ଯନ୍ତ୍ରଣା ଦାୟକ, ଏବଂ ଗ୍ରୀଷ୍ମଋତୁରେ ପାଣି ଆନନ୍ଦ ଦାୟକ ଅଟେ । ତେଣୁ ପାଣିର ସ୍ଥିତି କ'ଣ? ଏହା ଯନ୍ତ୍ରଣା ଦାୟକ ବା ଆନନ୍ଦ ଦାୟକ? ଏହା ନା ଯନ୍ତ୍ରଣା ଦାୟକ, ନା ଆନନ୍ଦ ଦାୟକ, କିନ୍ତୁ କେତେକ ଋତୁରେ, ଚର୍ମ ସ୍ପର୍ଶ ଦ୍ଵାରା ଏହା ଯନ୍ତ୍ରଣା ଦାୟକ ବା ଆନନ୍ଦ ଦାୟକ ପ୍ରତିତ ହୁଏ । ସେହି ଯନ୍ତ୍ରଣା ଏବଂ ଆନନ୍ଦ ଏଠାରେ ବର୍ଣ୍ଣନା କରାଯାଇଛି: "ସେମାନେ ଆସନ୍ତି ଏବଂ ଯାଆନ୍ତି । ସେମାନେ ସ୍ଥାୟୀ ନୁହଁନ୍ତି ।" ଆଗମାପାୟିନୋ ଅନିତ୍ୟାଃ (BG 2.14) ଅର୍ଥାତ୍ "ସେମାନେ ଆସନ୍ତି ଏବଂ ଯାଆନ୍ତି; ସେଥିପାଇଁ ସେମାନେ ସ୍ଥାୟୀ ନୁହଁନ୍ତି ।" ସେଥିପାଇଁ କୃଷ୍ଣ ପରାମର୍ଶ ଦେଇଛନ୍ତି, ତାଂସ୍ ତିତିକ୍ଷସ୍ଵ ଭାରତ: "କେବଳ ସହ୍ୟ କର ।" କିନ୍ତୁ ତୁମେ ତୁମର ପ୍ରକୃତ କର୍ତ୍ତବ୍ୟ, କୃଷ୍ଣ ଚେତନା ଭୁଲ ନାହିଁ । ଏହି ଭୌତିକ ଦୁଃଖ ଏବଂ ସୁଖ ପାଇଁ ଖାତିର୍ କର ନାହିଁ ।